ସର୍ବସାଧାରଣ ସ୍ଵାର୍ଥ ନିହିତ କେଶ୍
- ଖଟିଖିଆ, ଗରିବ, ପତିତ, ଦଳିତ, ନିଷ୍ପେସିତ ଓ ସମାଜରେ ଥିବା ଅବହେଳିତ ଶ୍ରେଣୀର ଲୋକମାନଙ୍କର ସ୍ଵାର୍ଥ ଯାହାକି ସେମାନେ ନିଜେ ହାସଲ କରିପାରୁ ନାହାଁନ୍ତି, ତାହା ହାସଲ ନିମିତ୍ତ ଜନସାଧାରଣ ମଧ୍ୟରୁ ସୁପ୍ରିମ୍ କୋର୍ଟ ବା ହାଇକୋର୍ଟରେ କେହି ମୋକଦ୍ଦମା ଦାଏର କଲେ ତାହା ସର୍ବସାଧାରଣ ସ୍ଵାର୍ଥ ଜନିତ ମାମଲାରେ ପରିଣତ ହେଉଛି । ଉପରୋକ୍ତ ମର୍ମରେ ମାନ୍ୟବର ସୁପ୍ରିମ୍ କୋର୍ଟ ଏସିଆଡ୍ କର୍ମି କେଶ୍ AIR 1982 S.C 1976 ରେ ଏଓ.ପି. ଗୁପ୍ତା କେଶ୍ ରେ (AIR 1982 S.C. 149) ମତ ଦେଇଛନ୍ତି ।
- PIL କୁ ସରକାର ଓ ସରକାରୀ କର୍ମଚାରୀମାନେ ସ୍ଵାଗତ କରିବା ଉଚିତ୍, କାରଣ ଏହା ଦ୍ଵାରା ସେମାନେ ଦଳିତ ଓ ନିଷ୍ପେସିତ ଲୋକମାନଙ୍କର ସ୍ଵାର୍ଥ ରକ୍ଷା ପାଇଁ ସୁବିଧା କରିପାରିବେ ଏବଂ ସାମ୍ବିଧାନିକ ଦାୟିତ୍ଵ ତୁଲାଇ ପାରିବେ । ମାନ୍ୟବର ସୁପ୍ରିମ୍ କୋର୍ଟ ଓ ହାଇକୋର୍ଟ କୌଣସି ପବ୍ଲିକ୍ ସ୍ପିରିଟେଡ୍ ବ୍ୟକ୍ତି ବିଶେଷଙ୍କ ଠାରୁ ଚିଠି ପାଇ ତାହା PIL ହିସାବରେ ଚାଲୁ କରିପାରିବେ ।
- PIL ର ଚିଠି ବା ଦରଖାସ୍ତ ସୁପ୍ରିମ୍ କୋର୍ଟ ବା ହାଇକୋର୍ଟର ମୁଖ୍ୟ ନ୍ୟାୟାଧିଶଙ୍କ ଠିକଣାରେ ଯିବା ଉଚିତ୍ । ମାତ୍ର ଭୁଲ୍ ବଶତଃ ଏହା କୌଣସି ବ୍ୟକ୍ତି ବିଶେଷ ଜଜ୍ ଙ୍କ ନାମରେ ପଠାଯାଇଥିଲେ, ସେହି କାରଣ ହେତୁ ଦରଖାସ୍ତଟି ଅକାମି ହେବ ନାହିଁ । ଏହା ଏମ୍.ସି. ମେହେଟା କେଶ୍ : AIR 1987 S.C. 1086 ରେ ରାୟ ହୋଇଅଛି ।
- PIL କେଶ୍ ରେ ଦ୍ଵାହି ଦେଇ ନିଜର ସ୍ଵାର୍ଥ ସାଧନ ନିମନ୍ତେ ଚିଠି ବା ଦରଖାସ୍ତ କରିଥିଲେ ତାହା ଗ୍ରହଣ ହେବ ନାହିଁ ।
- ସାଧରାଣତଃ କିଛି ଲୋକଙ୍କ ସ୍ଵାର୍ଥ ପାଇଁ PIL ମୋକଦ୍ଦମା ହୋଇଥାଏ । ମାତ୍ର ହାଜତରେ ଥିବା ଜଣେ ବନ୍ଦୀ କିମ୍ବା ଜଣେ ମହିଳା କିମ୍ବା ଜଣେ ଶିଶୁ ତରଫରୁ କିମ୍ବା ସେମାନଙ୍କ ଦ୍ଵାରା ଦରଖାସ୍ତ ବା ଚିଠି ଯାଇଥିଲେ ତାହା PIL କେଶ୍ ହିସାବରେ ଗ୍ରହଣ କରାଯାଇଥାଏ । (ଏହା M.C. Mehta Case AIR 1987 SC 1086 ରେ ରାୟ ଦିଆଯାଇଅଛି ।
ସମ୍ବିଧାନିକ ଅଧିକାର ଓ ତାର ପ୍ରତିକାର
ରାଜ୍ୟ ଦେଶ ତଥା ଆନ୍ତର୍ଜାତିକ ସ୍ତରରେ ମଣିଷର ହିତ ବା ଅଧିକାର ପାଇଁ ଅନେକ ଗୁଡିଏ ଆଇନ୍ ପ୍ରଣୟନ ହୋଇଛି । ମଣିଷର ସମସ୍ତ ଅଧିକାରକୁ ମୌଳିକ ଅଧିକାର କୁହାଯାଏ ନାହିଁ । ଆମ ଦେଶର ସମ୍ବିଧାନରେ ମୌଳିକ ଅଧିକାର ଅଧ୍ୟାୟରେ (Fundamental Rights Chapter-PART-III) ଦିଆଯାଇଥିବା ଅଧିକାର ଗୁଡିକ ମୌଳିକ ଅଧିକାର କୁହାଯାଏ । ସେ ସବୁ ଅଧିକାର ଗୁଡିକ ଧାରା ୧୨ ରୁ ଧାରା ୩୫ ମଧ୍ୟରେ ବର୍ଣ୍ଣନା କରାଯାଇଅଛି । ପୁସ୍ତକର କଳେବର ବୃଦ୍ଧି ହେବା ସମ୍ଭାବନା ଥିବାରୁ ସେଗୁଡିକର ଏଠାରେ ଆଲୋଚନା କରାଯାଇନାହିଁ, ଏଗୁଡିକ ଜାଣିବା ପାଇଁ ଆପଣ ଭାରତର ସମ୍ବିଧାନ ପୁସ୍ତକର ସାହାଯ୍ୟ ନେଇ ପାରିବେ । ଆପଣଙ୍କର ସାମ୍ବିଧାନିକ ଅଧିକାର ଭଙ୍ଗ ହେଲେ ଆପଣ କିଭଳି ଭାବରେ ନା କେଉଁ କୋର୍ଟରେ ତାହା ସାବ୍ୟସ୍ତ କରିପାରିବେ ତାହା ନିମ୍ନରେ ବର୍ଣ୍ଣିତ ହେଲା ।
- ସମ୍ବିଧାନ ଧାରା ୩୨
- ଆପଣଙ୍କର ମୌଳିକ ଅଧିକାର ଭଙ୍ଗ ହେଲେ ସେ ଅଧିକାର ଗୁଡିକ ସାବ୍ୟସ୍ତ କରିବା ପାଇଁ ଆପଣ ସିଧାସଳଖ ସୁପ୍ରିମ କୋର୍ଟରେ ରିଟ୍ କରିପାରିବେ ।
- ଯେତେବେଳେ କୌଣସି ଗରିବ ବ୍ୟକ୍ତି ବା ଗରିବ ଶ୍ରେଣୀ ବ୍ୟକ୍ତି ସମୁହଙ୍କର ମୌଳିକ ଅଧିକାର ଭଙ୍ଗ ହେଉଥାଏ ଏବଂ ସେମାନେ ଅଜ୍ଞାତ କିମ୍ବା ଦାରିଦ୍ର୍ୟ ହେତୁ ସୁପ୍ରିମ୍ କୋର୍ଟକୁ ମାମଲାଟି ନେଇ ପାରୁନଥାନ୍ତି, ସେତେବେଳେ ଏହି କେଶ୍ ଟିକୁ ସର୍ବସାଧାରଣଙ୍କ ମଧ୍ୟରୁ କେହି ଜଣେ (Any Public) ମୋକଦ୍ଦମା ଦାଏର କଲେ ତାହା ସୁପ୍ରିମ କୋର୍ଟ ଗ୍ରହଣ କରିବେ । ଏହା AIR 1984 S.C. 802 କେଶ୍ ରେ ରାୟ ହୋଇଅଛି ।
- ସମ୍ବିଧାନ ଧାରା ୨୨୬
- ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିଲେ ଏହି ଧାରା ବଳରେ ହାଇକୋର୍ଟ ଆପଣଙ୍କର ଅଧିକାର ସୁରକ୍ଷା ପାଇଁ ଉପଯୁକ୍ତ ରିଟ୍ ଅଥବା ଅର୍ଡର ପ୍ରଦାନ କରିପାରିବେ । ଏଭଳି କେଶ୍ ଆପଣ ହାଇକୋର୍ଟରେ ସିଧାସଳଖ ଦାଏର କରିପାରିବେ ।
- ସମ୍ବିଧାନର ଧାରା ୧୩୬
- ଯେକୌଣସି କୋର୍ଟ କିମ୍ବା ଟ୍ରି ବ୍ୟୁନାଲ୍ ଙ୍କ ଦ୍ଵାରା ପ୍ରଦତ୍ତ ଯେକୌଣସି ଜଜ୍ ମେଣ୍ଟ୍, ଡିଗ୍ରି ବା ଅର୍ଡର ବିରୁଦ୍ଧରେ ସୁପ୍ରିମ୍ କୋର୍ଟରେ ଅପିଲ୍ ଫାଇଲ୍ କରିବା ପାଇଁ ସୁପ୍ରିମ୍ କୋର୍ଟଙ୍କ ମଞ୍ଜୁରି ନେଇ (Special Leave to Appeal) ଅପିଲ୍ ଫାଇଲ୍ କରାଯାଇପାରେ । ଅନ୍ୟ କୌଣସି ଆଇନ୍ ରେ ପ୍ରତିକାର ମିଳିବାର ସୁବିଧା ଥିଲେ ଏ ବ୍ୟବସ୍ଥା ଲାଗୁ ହୁଏ ନାହିଁ ।
- ସରକାରଙ୍କୁ ଦିଆଯାଇଥିବା ନିର୍ଦ୍ଦେଶଗୁଡିକ (ଯାହାକି ଡାଇରେକ୍ଟିଭ୍ ପ୍ରିନ୍ସିପୁଲ୍ ଅଫ୍ ଷ୍ଟେଟ୍ ପଲିସି ନାମେ ବିଦିତ ) ସରକାର ପାଳନ ନ କଲେ ସେଥିପାଇଁ ସରକାରଙ୍କ ବିରୁଦ୍ଧରେ କୋର୍ଟରେ ମକଦ୍ଦମା କରିହେବ ନାହିଁ ।
- ଏଠାରେ ଗୋଟିଏ କଥା ମନେ ରଖିବାକୁ ହେବ ଯେ ସମ୍ବିଧାନ ହେଉଛି ଦେଶର ସବୁଠାରୁ ବଳିଷ୍ଠ ଆଇନ୍ । ଅନ୍ୟ ଆଇନ୍ ଗୁଡିକ ସାଧାରଣ ଆଇନ୍ ନାମରେ ପରିଚିତ । ଏଣୁ କୌଣସି ସାଧାରଣ ଆଇନ୍ ସାମ୍ବିଧାନିକ ଆଇନ୍ କୁ ବିରୋଧ କରୁଥିଲେ ବା ଭଙ୍ଗ କରୁଥିଲେ ସେ ଆଇନ୍ ଗୁଡିକୁ ହାଇକୋର୍ଟ ବା ସୁପ୍ରିମ୍ କୋର୍ଟରେ ଚଲେଞ୍ଜ୍ କରି ରଦ୍ଦ କରି ଦିଆଯାଇପାରିବ ।
- ଆମ ଦେଶର ହାଇକୋର୍ଟ ଓ ସୁପ୍ରିମ୍ କୋର୍ଟ, କୋର୍ଟ ଅଫ୍ ରେକର୍ଡ ଅଟନ୍ତି । ଏହାର ଅର୍ଥ ସେହି କୋର୍ଟର ରାୟମାନଙ୍କୁ ଅବମାନନା କଲେ ସେମାନେ ଦଣ୍ଡିତ କରିପାରିବେ ।
- ଅନେକ ସାଧାରଣ ଆଇନ୍ ରେ ଲେଖାଥାଏ ଯେ ଏହି ଆଇନ୍ ରେ କେଶ୍ ବିଚାର ସରିଲା ପରେ ଏହି ରାୟ ବିରୁଦ୍ଧରେ ଆଉ କୌଣସି କୋର୍ଟରେ ଅପିଲ୍ କରିହେବ ନାହିଁ ।
ଏଭଳି ଘଟଣାରେ ଲେଖକ ଅନେକ ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କର ଠାରୁ ଶୁଣିବାକୁ ପାଇଛନ୍ତି ଯେ କେଶ୍ ଟି ସରିଲା ଓ ଏହି ରାୟ ବିରୁଦ୍ଧରେ ଆଉ କିଛି କରିବାର ନାହିଁ । ମାତ୍ର ଏଭଳି ରାୟ ବିରୁଦ୍ଧରେ ହାଇକୋର୍ଟରେ ସମ୍ବିଧାନ ଧାରା ୨୨୬ ଅନୁଯାୟୀ ରିଟ୍ ଓ ସୁପ୍ରିମ୍ କୋର୍ଟରେ ସମ୍ବିଧାନର ଧାରା ୧୩୬ ଅନୁଯାୟୀ ଅପିଲ୍ କରିହେବ କହିଲେ ତାହା ଉପରୋକ୍ତ ଶିକ୍ଷିତ ବ୍ୟକ୍ତିମାନେ ସହଜରେ ଗ୍ରହଣ କରନ୍ତି ନାହିଁ । ସେମାନଙ୍କର ଯୁକ୍ତି ହେଲା ଆଇନ୍ ରେ ଯେତେବେଳେ କୋର୍ଟରେ ଆଉ କେଶ୍ ହୋଇପାରିବ ନାହିଁ ବୋଲି କୁହାଯାଇଛି, ପୁଣି କିପରି ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ କେଶ୍ ହେବ । ଏଠାରେ ମନେ ରଖିବାକୁ ହେବ ଯେ, ସାଧାରଣ ଆଇନ୍ ରେ ଯାହା ମନା କରାଯାଇଅଛି ତାହା ସମ୍ବିଧାନିକ ପ୍ରତିକାର ବା ରିଟ୍ କୋର୍ଟଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ । ଏଣୁ ସାଧାରଣ ଆଇନ୍ ରେ କେଶ୍ ହେବ ନାହିଁ ବୋଲି ମନା ହୋଇଥିଲେ ମଧ୍ୟ ସମ୍ବିଧାନ ଆଇନ୍ ରେ ଧାରା ୨୨୬ ଓ ଧାରା ୧୩୬ରେ କେଶ୍ ହେବାର ସୁବିଧା ଦିଆଯାଇଥିବାରୁ କେଶ୍ ହୋଇପାରୁଛି ।
କୋର୍ଟ ଅବମାନନା, କୋର୍ଟଙ୍କ ଆଦେଶ ଓ କୋର୍ଟଙ୍କ ସହିତ ବ୍ୟବହାର
କୋର୍ଟ ଅବମାନନା ଦୁଇ ପ୍ରକାର । ସିଭିଲ୍ କଣ୍ଟେମ୍ପ୍ଟ ଓ କ୍ରିମିନାଲ୍ କଣ୍ଟେମ୍ପ୍ଟ ।
ସିଭିଲ୍ କଣ୍ଟେମ୍ପ୍ଟ – ଜାଣିଶୁଣି କୋର୍ଟର ଜଜ୍ ମେଣ୍ଟ୍, ଡିଗ୍ରି, ନିର୍ଦ୍ଦେଶ, ଆଦେଶ, ନୋଟିସ୍, ସମନ ଓ ରିଟ୍ ଆଦି ବା କୋର୍ଟକୁ ଦେଇଥିବା ଅଣ୍ଡରଟେକିଙ୍ଗ୍ ଭଙ୍ଗ କଲେ ସିଭିଲ୍ କଣ୍ଟେମ୍ପ୍ଟ ହୁଏ ।
ଏଠାରେ ମନେରଖିବାକୁ ହେବ ଯେ, ଯେଉଁ ଜଜ୍ ମେଣ୍ଟ୍ ବା ଡିଗ୍ରିକୁ କୋର୍ଟଙ୍କ ଜରିଆରେ Execution କରି ଫଳ ହାସଲ କରିବାର ବ୍ୟବସ୍ଥା ଥାଏ, ସେଭଳି କ୍ଷେତ୍ରରେ କୋର୍ଟଙ୍କ ଜଜ୍ ମେଣ୍ଟ୍ ବା ଡିଗ୍ରିକୁ ପାଳନ ନ କଲେ କଣ୍ଟେମ୍ପ୍ଟ ଅଫ୍ କୋର୍ଟ ହୁଏ ନାହିଁ । ଏଭଳି କ୍ଷେତ୍ରରେ ଡିଗ୍ରିଧାରୀ ଲୋକ Execution କରି କୋର୍ଟଙ୍କ ରାୟର ଫଳ ହାସଲ କରିବେ ।
କ୍ରିମିନାଲ୍ କଣ୍ଟେମ୍ପ୍ଟ – ଲିଖିତ ମୌଖିକ, ଠାର ଅଥବା ଚିତ୍ର ଆକାରରେ ଅଥବା ଅନ୍ୟ ଯେ କୌଣସି ଉପାୟରେ କୌଣସି ଘଟଣା ପ୍ରକାଶ କରି :
- କୋର୍ଟଙ୍କର ଥିବା ଅଥରିଟିକୁ ବଦ୍ନାମ କଲେ କିମ୍ବା ହ୍ରାସ କରି ପ୍ରକାଶ କରୁଥିବାର ଉଦ୍ୟମ କରୁଥିଲେ ।
- ଜୁଡିସିଆଲ୍ ପ୍ରୋସିଡିଙ୍ଗ୍ ରେ ବ୍ୟାଘାତ ଘଟାଇଥିଲେ ।
- ନ୍ୟାୟ ପ୍ରଦାନ ପ୍ରଥାରେ ବାଧା ସୃଷ୍ଟି କରିଥିଲେ ତଦ୍ୱାରା କ୍ରିମିନାଲ୍ କଣ୍ଟେମ୍ପ୍ଟ ହୁଏ । ମାତ୍ର –
- କୋର୍ଟରେ ପେଣ୍ଡିଙ୍ଗ୍ ନଥିବା ପ୍ରୋସିଡିଙ୍ଗ୍ ସଠିକ୍ ରୂପେ ପ୍ରକାଶ କଲେ ତଦ୍ୱାରା କଣ୍ଟେମ୍ପ୍ଟ କୋର୍ଟ ହୁଏ ନାହିଁ ।
- କୋର୍ଟରେ ପ୍ରୋସିଡିଙ୍ଗ୍ ଚାଲିଥିବା ଅବସ୍ଥାରେ ସେ ସମ୍ପର୍କରେ ଲେଖା ମାଧ୍ୟମରେ ସାଧାରଣ ସୂଚନା ଦେଲେ ତାହା କଣ୍ଟେମ୍ପ୍ଟ ଅଫ୍ କୋର୍ଟ ହୁଏ ନାହିଁ।
- କୌଣସି କେଶ୍ ର ରାୟକୁ ଯୁକ୍ତିସମ୍ମତ ଭାବେ ତର୍ଜମା କରି ରାୟ ବିରୁଦ୍ଧରେ ଭିନ୍ନ ମତ ପ୍ରକାଶ କଲେ ତାହା କଣ୍ଟେମ୍ପ୍ଟ ହୁଏ ନାହିଁ ।
- ବନ୍ଦ ଗୃହ ବା ଖାସ୍ କୋଠରୀରେ ଚାଲିଥିବା କେଶ୍ କୁ କୋର୍ଟଙ୍କ ଅନୁମତି ନେଇ ପ୍ରକାଶ କଲେ ନିରାପଦ, ନଚେତ୍ କୋର୍ଟଙ୍କ ଦ୍ଵାରା ଦଣ୍ଡିତ ହେବାର ସମ୍ଭାବନା ଥାଏ ।
- କୋର୍ଟ ଅବମାନନା ପ୍ରମାଣିତ ହେଲ ୬ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ୨୦୦୦/ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ ହୋଇପାରନ୍ତି । ନିଜର କୃତ କର୍ମ ପାଇଁ ପ୍ରକୃତରେ ଦୁଃଖିତ ହୋଇ କୋର୍ଟଙ୍କୁ କ୍ଷମା ପ୍ରାର୍ଥନା ମାଗିଲେ ଓ କୋର୍ଟ ସେଥିରେ ସନ୍ତୁଷ୍ଟ ହେଲେ ଦଣ୍ଡ ମୁକ୍ତ କରିପାରନ୍ତି ।
ଉପରୋକ୍ତ କୋର୍ଟ ଅବମାନନା ବିଚାର କଣ୍ଟେମ୍ପ୍ଟ ଅଫ୍ କୋର୍ଟସ୍ ଆକ୍ଟ ୧୯୭୧ ଅନୁଯାୟୀ ହାଇକୋର୍ଟରେ ଓ ସୁପ୍ରିମ୍ କୋର୍ଟଙ୍କୁ କଣ୍ଟେମ୍ପ୍ଟ ହୋଇଥିଲେ ସୁପ୍ରିମ୍ କୋର୍ଟରେ ବିଚାର ହୁଏ । ନିମ୍ନ ଅଦାଲତମାନଙ୍କୁ ଉପରୋକ୍ତ ମତେ କଣ୍ଟେମ୍ପ୍ଟ କରିଥିଲେ କିମ୍ବା ହାଇକୋର୍ଟଙ୍କୁ କରିଥିଲେ ତାହା ହାଇକୋର୍ଟରେ ବିଚାର ହୁଏ ।
କ୍ରିମିନାଲ୍ ପ୍ରୋସିଡ଼ିଓର କୋର୍ଡ୍ ଧାରା ଅନୁଯାୟୀ କୋର୍ଟ ଅବମାନନା ବିଚାର
କେତେକ ପ୍ରକାର କୋର୍ଟ ଅବମାନନା ଘଟଣା ଯେଉଁ କୋର୍ଟକୁ ଅବମାନନା ହୋଇଥାଏ ସେହି କୋର୍ଟ ହିଁ କ୍ରିମିନାଲ୍ ପ୍ରୋସିଡ଼ିଓର ଧାରା ଅନୁଯାୟୀ ବିଚାର କରିପାରିବେ ।
- ଧାରା 344 Cr.P.C. (କ୍ରିମିନାଲ୍ ପ୍ରୋସିଡ଼ିଓର କୋର୍ଡ୍ ) ମିଥ୍ୟା ସାକ୍ଷୀ ଦେଲେ : ସେସନ୍ସ କୋର୍ଟ କିମ୍ବା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ କୌଣସି କେଶ୍ ର ରାୟରେ ସେଥିରେ ଥିବା ସାକ୍ଷୀ ମିଥ୍ୟା ସାକ୍ଷ୍ୟ ପ୍ରଦାନ କରିଛନ୍ତି ବୋଲି ମତ ପ୍ରକାଶ କଲେ ସେ ସେହି ସାକ୍ଷୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଦେଇ ତାର ଉତ୍ତର ଗ୍ରହଣ କରି ତାହା ବିଚାର କରି ସାକ୍ଷୀଙ୍କୁ ଦୋଷୀ ସାବ୍ୟସ୍ତ କଲେ ତାଙ୍କୁ ୩ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ୫୦୦୦/-ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରିପାରନ୍ତି ।
- ଧାରା 345 Cr.P.C. ( କ୍ରିମିନାଲ୍ ପ୍ରୋସିଡିଓର କୋର୍ଡ) କୋର୍ଟଙ୍କ ଆଦେଶ ନ ମାନିଲେ : ଜଣେ ବ୍ୟକ୍ତି କୌଣସି ସିଭିଲ୍, କ୍ରିମିନାଲ୍ କିମ୍ବା ରେଭିନିଉ କୋର୍ଟଙ୍କ ସମ୍ମୁଖରେ କିମ୍ବା ଦୃଷ୍ଟି ମଧ୍ୟରେ ଜାଣିଶୁଣି କୌଣସି ପବ୍ଲିକ୍ ସର୍ଭେଭଣ୍ଟ୍ ଙ୍କ ପାଖରେ କିମ୍ବା କୋର୍ଟରେ ସେମାନଙ୍କ ଦ୍ଵାରା ଆଦେଶ ଦିଆଯାଇଥିବା ଡକ୍ୟୁମେଣ୍ଟକୁ (ଯାହାକି ସେ ଆଇନ୍ ଗତ ଭାବେ ଦେବାକୁ ବାଧ୍ୟ) ତାହା ନ ଦେଲେ (ଧାରା 175 I.P.C.) ଅନୁଯାୟୀ ସାକ୍ଷ୍ୟ ଦେଲାବେଳେ ଶପଥ ନେବାକୁ ମନା କଲେ (ଧାରା 178 I.P.C.) ଅନୁଯାୟୀ, ସତ୍ୟ ଘଟଣା ପ୍ରକାଶ କରିବାକୁ ମନା କଲେ ଧାରା ୧୭୯ ଅନୁଯାୟୀ ପବ୍ଲିକ୍ ସର୍ଭେଣ୍ଟ୍ ବା କୋର୍ଟରେ ଦେଇଥିବା ନିଜର ମନ୍ତବ୍ୟ ଲେଖାଗଲେ ସେଥିରେ ଦସ୍ତଖତ କରିବାକୁ ମନାକଲେ ଧାରା 180 I.P.C. ଅନୁଯାୟୀ/ଜୁଡିସିଆଲ୍ ପ୍ରୋସିଡ଼ିଙ୍ଗ୍ ବିଚାର କରୁଥିବା ସମୟରେ ସେଥିରେ ବାଧା ପ୍ରଦାନ କଲେ ଓ ଜାଣିଶୁଣି ଅପମାନିତ କଲେ (ଧାରା 288 I.P.C.) ଅନୁଯାୟୀ, ଉପରୋକ୍ତ କୋର୍ଟ ଗୁଡିକ ସ୍ଵୟଂ ଉପରୋକ୍ତ ମୁଦାଲାଙ୍କ ଠାରୁ ଜବାବ ତଲବ କରି ତାହା ବିଚାର କରି ଦୋଷୀ ସାବ୍ୟସ୍ତ କଲେ ୨୦୦୦/- ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରିପାରିବେ ।
- ଧାରା 350 Cr.P.C. (କ୍ରିମିନାଲ୍ ପ୍ରୋସିଡିଓର କୋର୍ଡ ) କୋର୍ଟଙ୍କ ସମନ ବା ନୋଟିସ୍ କୁ ନ ମାନିଲେ : କୌଣସି କ୍ରିମିନାଲ୍ କୋର୍ଟଙ୍କ ସମନ କିମ୍ବା ନୋଟିସ୍ କୁ ପାଇ, କୌଣସି ଯୁକ୍ତିଯୁକ୍ତ କାରଣ ନଥାଇ କୋର୍ଟରେ ଉପସ୍ଥିତ ନ ହେଲେ କିମ୍ବା କୋର୍ଟରେ ଉପସ୍ଥିତ ହୋଇ ସାକ୍ଷ୍ୟ ନ ଦେଇ ପଳାଇ ଗଲେ ସେହି କୋର୍ଟ, ଉକ୍ତ ସାକ୍ଷୀଙ୍କ ଠାରୁ ଜବାବ ଗ୍ରହଣ କରି ସାକ୍ଷୀଙ୍କୁ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ୧,୦୦୦/-ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରିପାରନ୍ତି ।
- କୋର୍ଟରୁ ସମନ ବା ନୋଟିସ୍ ପାଇ ହାଜର ନହେଲେ ଆପଣ କୋର୍ଟରୁ ସମନ ବା ନୋଟିସ୍ ଗ୍ରହଣ କରିଥିଲେ ସେଥିରେ ନିର୍ଦ୍ଦେଶ ଦିଆଯାଇଥିବା ତାରିଖରେ କୋର୍ଟରେ ନିଶ୍ଚୟ ହାଜର ହେବେ । ଯଦି ସେହି ତାରିଖରେ ଆପଣଙ୍କର ହାଜର ହେବାକୁ ସୁବିଧା ଥାଏ, ତେବେ ଆପଣ କୋର୍ଟଙ୍କୁ ସମୟ ମାଗିବେ ଓ ଏହା କୋର୍ଟ ମଧ୍ୟ ଦେବେ । ମାତ୍ର ଆପଣ ସମନ ବା ନୋଟିସ୍ ପାଇଥିବା କେଶ୍ ରେ ସମ୍ପୃକ୍ତ ନୁହଁନ୍ତି ବା ସାକ୍ଷୀ ନାହାଁନ୍ତି ବୋଲି ସଠିକ୍ ଜାଣିଥାନ୍ତି ସେଭଳି କ୍ଷେତ୍ରରେ ଆପଣ କୋର୍ଟଙ୍କୁ ଦରଖାସ୍ତ କରି ଜଣାଇବେ । ଆପଣଙ୍କ ଦରଖାସ୍ତ ମଞ୍ଜୁର ହେଲେ ଆପଣ କୋର୍ଟରୁ ଆଉ ସମନ ପାଇବେ ନାହିଁ । ମାତ୍ର ଆପଣଙ୍କ ଦରଖାସ୍ତ ସତ୍ତ୍ୱେ ଯଦି ଆପଣଙ୍କୁ ସମନ ବା ନୋଟିସ୍ ଆସିଲା ତେବେ ଆପଣ କୋର୍ଟରେ ହାଜର ହେବେ । ନଚେତ୍ ୱାରେଣ୍ଟ୍ ବଳରେ ଆରେଷ୍ଟ ହୋଇଯିବେ ।
ସିଭିଲ୍ ପ୍ରୋସିଡ଼ିଓର କୋର୍ଡ଼ ଅନୁଯାୟୀ ଦଣ୍ଡ ବ୍ୟବସ୍ଥା
- କୌଣସି ବ୍ୟକ୍ତି କୋର୍ଟଙ୍କ ସମନ ପାଇଁ ସାକ୍ଷୀ ଦେବାକୁ ଉପସ୍ଥିତ ନ ହେଲେ କିମ୍ବା କୌଣସି ଡକ୍ୟୁମେଣ୍ଟ ବା ପଦାର୍ଥ (ଯାହା ସେ ଆଇନ୍ ଗତ ଭାବେ ଦାଖଲ କରିବାକୁ ବାଧ୍ୟ) ତାହା କୋର୍ଟଙ୍କ ଆଦେଶ ଅନୁଯାୟୀ ଦାଖଲ ନ କଲେ କୋର୍ଟ ଉକ୍ତ ବ୍ୟକ୍ତିଙ୍କୁ ଧାରା ୩୨ (C.P.C.) ସିଭିଲ୍ ପ୍ରୋସିଡ଼ିଓର କୋର୍ଡ଼ ଅନୁଯାୟୀ ନିମ୍ନଲିଖିତ ଦଣ୍ଡମାନ ପ୍ରଦାନ କରିପାରିବେ ।
- ତାଙ୍କୁ ଆରେଷ୍ଟ୍ କରିବା ପାଇଁ ୱାରେଣ୍ଟ୍ ଇସ୍ୟୁ କରିପାରିବେ ।
- ତାଙ୍କ ସମ୍ପତ୍ତିକୁ ଆଟାଚ୍ କରି ବିକ୍ରୟ କରିପାରିବେ ।
- ତାଙ୍କ ଉପରେ ୫୦୦୦/- ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରିପାରିବେ ।
- ତାଙ୍କୁ କୋର୍ଟରେ ହାଜର ହେବା ପାଇଁ ସିକ୍ୟୁରିଟି ଦେବାକୁ ଆଦେଶ ନେବେ ଓ ସେ ତାହା ନଦେଲେ ତାଙ୍କୁ ଜେଲ୍ (ସିଭିଲ୍ ପ୍ରିଜନ୍)କୁ ପଠାଇ ପାରିବେ ।
- ଅର୍ଡର ୩୯ ଧାରା ୨A C.P.C. କୋର୍ଟ କୌଣସି କେଶ୍ ରେ ଅସ୍ଥାୟୀ ନିଷେଧାଜ୍ଞା ପ୍ରଚାର କରିଥିଲେ ତାହା ଜାଣିଶୁଣି ବ୍ୟକ୍ତି ଜଣକ ଭଙ୍ଗ କଲେ ବା ଭଙ୍ଗ କରିବାରେ ସାହାଯ୍ୟ କଲେ, ସେହି କୋର୍ଟ ଏହି ମାମଲାକୁ ବିଚାର କରି ସେହି ବ୍ୟକ୍ତିଙ୍କର ସମ୍ପତ୍ତି ଆଟାଚ କରିପାରନ୍ତି ଓ ତାଙ୍କୁ ୩ ମାସ ପର୍ଯ୍ୟନ୍ତ ସିଭିଲ୍ ଜେଲ୍ ଦେଇପାରନ୍ତି ।
- ଅର୍ଡର ୨୧ ଧାରା ୩୩ C.P.C. : କୋର୍ଟ ତାଙ୍କ ଡିଗ୍ରିରେ ଜଣେ ବ୍ୟକ୍ତିଙ୍କୁ, ଉକ୍ତ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହିତ କୌଣସି ସମୟ ବ୍ୟବଧାନ ମଧ୍ୟରେ ଦାମ୍ପତ୍ୟ ଜୀବନ ପୁନଃ ସ୍ଥାପନ କରିବାକୁ ଆଦେଶ ଦେଇଥିଲେ (Decree for Restriction of Conjugal Rights) ଏବଂ ଉକ୍ତ ବ୍ୟକ୍ତି ସେହି ଆଦେଶକୁ ଅବମାନନା କଲେ, ସେହି ବ୍ୟକ୍ତି ତାଙ୍କ ସ୍ତ୍ରୀକୁ ସାମୟୀକ ଭାବେ ଉଚିତ୍ ମୂଲ୍ୟରେ ଅର୍ଥ (ଯାହାକି କୋର୍ଟ ନିର୍ଦ୍ଧାରିତ କରିଥିବେ ) ପ୍ରଦାନ କରିବାକୁ ବାଧ୍ୟ କରିବେ ।
- ଅର୍ଡର ୨୧ ଧାରା 32 C.P.C. : ନିର୍ଦ୍ଧିଷ୍ଟ ରୂପେ ଚୁକ୍ତି ପାଳନ କରିବାକୁ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପୂର୍ଣ୍ଣ ସହବାସ ସ୍ଥାପନ କରିବାକୁ କିମ୍ବା ସ୍ଥାୟୀ ନିଷେଧାଜ୍ଞା ଡିଗ୍ରି ଥିଲେ ଓ ତାହା ପ୍ରତିବାଦୀ ଜଣକ ପାଳନ କରୁନଥିଲେ ଉକ୍ତ ବ୍ୟକ୍ତିମାନଙ୍କର ସମ୍ପତ୍ତି କୋର୍ଟ ଆଟାଚ୍ କରିନେଇପାରିବେ ଏବଂ ନିଷେଧାଜ୍ଞା ଓ ଠିକ୍ ରୂପେ ଚୁକ୍ତି ପାଳନ କରିବାକୁ ଥିବା ଆଦେଶ କ୍ଷେତ୍ରରେ ଆବମାନନାକାରୀ ବ୍ୟକ୍ତିଙ୍କୁ ମଧ୍ୟ ସିଭିଲ୍ ଜେଲ୍ କୁ ପଠାଇ ପାରିବେ କିମ୍ବା ଉପରୋକ୍ତ ଉଭୟ ଦଣ୍ଡ ପ୍ରଦାନ କରିପାରିବେ । ଏଠାରେ ମନେ ରଖିବାକୁ ହେବ ଯେ ଏହି ଧାରାଟି ଉଭୟ ସ୍ତ୍ରୀ ଓ ପୁରୁଷଙ୍କୁ ପ୍ରଯୁଜ୍ୟ ହେଉଥିବା ବେଳେ ଉପରୋକ୍ତ ଧାରା Order 21R 33 କେବଳ ପୁରୁଷଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇଥାଏ ।
କୋର୍ଟଙ୍କ ଆଦେଶ ଓ କୋର୍ଟଙ୍କ ସହିତ ବ୍ୟବହାର
- ଧାରା 44 Cr.P.C. :କୌଣସି ବିଚାର ବିଭାଗୀୟ କିମ୍ବା Executive ମାଜିଷ୍ଟ୍ରେଟ୍ ଙ୍କ ସମ୍ମୁଖରେ ତାଙ୍କ ଭୌଗଳିକ ସୀମା ମଧ୍ୟରେ ଓ ତାଙ୍କ ଉପସ୍ଥିତିରେ କୌଣସି ବ୍ୟକ୍ତି କୌଣସି ଅପରାଧ ଘଟାଇଥିଲେ ଓ ସେହି ବ୍ୟକ୍ତିଙ୍କୁ ମାଜିଷ୍ଟ୍ରେଟ୍ ଆରେଷ୍ଟ୍ କରିବାକୁ ଚାହୁଁଥିଲେ ଏବଂ ଏଥିପାଇଁ ଆପଣ ମୁଦଲାକୁ ଆରେଷ୍ଟ କରିବାକୁ ମାଜିଷ୍ଟ୍ରେଟ୍ ଆଦେଶ ଦେଲେ ଆପଣ କୌଣସି ଯୁକ୍ତିଯୁକ୍ତ କାରଣ ନଥିଲେ ସେହି ଆଦେଶ ପାଳନ କରିବାକୁ ବାଧ୍ୟ ନଚେତ୍ ଏଥିପାଇଁ ଆପଣ ଦଣ୍ଡିତ ହେବେ । ବ୍ୟକ୍ତି ବିଶେଷ ଯେତେ ବଡ ପଦବୀର ଅଧିକାରୀ ହୁଅନ୍ତି ନା କାହିଁକି ମାଜିଷ୍ଟ୍ରେଟ୍ ଙ୍କ ଉପରୋକ୍ତ ଆଦେଶ ମାନିବାକୁ ବାଧ୍ୟ ।
- ଧାରା 73 Cr.P.C. : ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ କିମ୍ବା ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ ତାଙ୍କ ଭୌଗଳିକ ସୀମା ମଧ୍ୟରେ ଥିବା ଯେକୌଣସି ବ୍ୟକ୍ତିଙ୍କୁ (ସେହି ବ୍ୟକ୍ତି ଯେତେ ବଡ ପଦବୀରେ ଥାଆନ୍ତୁ ନା କାହିଁକି )ଏକ ୱାରେଣ୍ଟ୍ ଦେଇ ପଳାତକ ଅପରାଧି, ଘୋଷିତ ମୁଦାଲା କିମ୍ବା ଜାମିନ ବିହୀନ ଦୋଷକରି ଆରେଷ୍ଟ୍ କୁ ଏଡାଇବାକୁ ଚେଷ୍ଟା କରୁଥିଲେ ତାଙ୍କୁ ଆରେଷ୍ଟ୍ କରିବାକୁ ୱାରେଣ୍ଟରେ ଆଦେଶ ଦେଇପାରିବେ । ଏହି ଆଦେଶକୁ ସେହି ବ୍ୟକ୍ତି ମାନିବାକୁ ବାଧ୍ୟ ନଚେତ୍ ଦଣ୍ଡିତ ହେବେ।
- ଧାରା 202 Cr.P.C. : ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ କୌଣସି କମ୍ପ୍ଲେଣ୍ଟ କେଶ୍ ଗ୍ରହଣ କରି ତାହା ନିଜେ ଏନ୍ଜ୍ଵାରୀ କରିପାରନ୍ତି କିମ୍ବା ତାହା ତଦନ୍ତ କରିବାର ଭାର ପୁଲିସ୍ ଅଥବା ଯେ କୌଣସି ବ୍ୟକ୍ତିଙ୍କୁ (ସେ ବ୍ୟକ୍ତି ଜଣଙ୍କ ଯେତେ ବଡ ପଦବୀରେ ଥାଆନ୍ତୁ ନା କାହିଁକି) ପ୍ରଦାନ କରିପାରନ୍ତି । ମାଜିଷ୍ଟ୍ରେଟ୍ ଙ୍କର ଏ ପ୍ରକାର ଆଦେଶ ସେମାନେ ମାନିବାକୁ ବାଧ୍ୟ ନଚେତ୍ ଦଣ୍ଡିତ ହେବେ ।
- ଧାରା 310 Cr.P.C. : ଜଜ୍ ଏବଂ ମାଜିଷ୍ଟ୍ରେଟ୍ କେଶ୍ ର ଉପଯୁକ୍ତ ବିଚାର ନିମିତ୍ତ ଆବଶ୍ୟକ ହେଲେ ଯେ କୌଣସି ଜାଗା ସରଜମିନ୍ ତଦନ୍ତ କରିପାରିବେ । ସେହି ଜାଗା ଆପଣଙ୍କର ଅଧୀନରେ ଥିଲେ ତାର ସରଜମିନ୍ ତଦନ୍ତ ପାଇଁ ଆପଣ ସୁଯୋଗ ଦେବାକୁ ବାଧ୍ୟ ନଚେତ୍ ଦଣ୍ଡିତ ହେବେ ।
- ଧାରା 311 Cr.P.C. : କୋର୍ଟ ଯେ କୌଣସି ବ୍ୟକ୍ତିଙ୍କୁ ଗୋଟିଏ କେଶ୍ ରେ ସାକ୍ଷୀ ହିସାବରେ ଡାକି ପାରିବେ ଓ ସେ ବ୍ୟକ୍ତି ତାହା ମାନି କୋର୍ଟରେ ହାଜର ହେବାକୁ ବାଧ୍ୟ ନଚେତ୍ ଦଣ୍ଡିତ ହେବେ ।
କୋର୍ଟଙ୍କ ସହିତ ବ୍ୟବହାର
- କୋର୍ଟ କାର୍ଯ୍ୟ ଚାଲିଥିଲା ବେଳେ ଆପଣ କୋର୍ଟରେ ଉପସ୍ଥିତ ରହି ତାହା ଦେଖି ପାରନ୍ତି । ମାତ୍ର ଏ ସମୟରେ ଆପଣ ହୋ – ହଲ୍ଲା, ପାଟିତୁଣ୍ଡ ଆଦି କଲେ ଦଣ୍ଡିତ ହେବେ ।
- ଜଜ୍ ବା ମାଜିଷ୍ଟ୍ରେଟ୍ କୋର୍ଟରେ ବିଦ୍ୟମାନ ଥିଲାବେଳେ ଓ କାର୍ଯ୍ୟରତ ନଥିଲା ବେଳେ ଆପଣ କୋର୍ଟଙ୍କ ପରମିସନ୍ ନେଇ ଆପଣଙ୍କ କେଶ୍ ଶୀଘ୍ର ନିଷ୍ପତ୍ତି ହେବା ସମ୍ପର୍କରେ କିମ୍ବା ଅନ୍ୟାନ୍ୟ ଆଇନ୍ ଉଚିତ୍ କେଶ୍ ପ୍ରସଙ୍ଗରେ କଥାବାର୍ତ୍ତା କରିପାରନ୍ତି ।
- କୋର୍ଟ କାର୍ଯ୍ୟରତ ଥିଲେ ଆପଣ ଅପେକ୍ଷା କରି କୋର୍ଟଙ୍କୁ ପେସ୍କାରଙ୍କ ଜରିଆରେ ଚିଠା ପ୍ରଦାନ କରି କୋର୍ଟଙ୍କ ଠାରୁ ସମୟ ନେଇ କୋର୍ଟଙ୍କ ସହିତ କଥାବାର୍ତ୍ତା କରିପାରିବେ।
- ମୋଟ ଉପରେ କୋର୍ଟଙ୍କୁ ଅସୌଜନ୍ୟ ବ୍ୟବହାର ନ କରି ଭଦ୍ରୋଚିତ ଭାବେ ନିଜର ଥିବା କେଶ୍ ସମ୍ପର୍କରେ (ଅନ୍ୟ ବିଷୟରେ ନୁହେଁ) ଆଲୋଚନା କରି ବୁଝି ପାରିବେ । ଏଭଳି ଆଲୋଚନାରେ କୋର୍ଟ କେଶ୍ ଟିରେ ଆପଣଙ୍କୁ କୌଣସି ଅନୁଗ୍ରହ ପ୍ରଦାନ କରନ୍ତୁ ବୋଲି ଆଲୋଚନା କରିବା ଦୋଷାବହ ଅଟେ ।
- କୋର୍ଟରେ ସାକ୍ଷୀ ଦେଉଥିଲା ବେଳେ ପାନ ପାଟିରେ ରଖି ଯିବା, କୋର୍ଟରେ ଧୂମପାନ କରିବା ବା କୋର୍ଟକୁ ନିଶାସକ୍ତ ହୋଇ ଯିବା, କୋର୍ଟର ଅବମାନନା ଅଟେ ।
- କୋର୍ଟରେ ସାକ୍ଷୀ ଦେବାକୁ ଆସି ସାର୍ଟରୁ ବୋତାମ ଖୋଲି ସାକ୍ଷୀ ଦେଲେ ଓ କୋର୍ଟ ତାହା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ତାହା ନ ମାନିଲେ, ନିଜର ନିଶକୁ ବାରମ୍ବାର ଆଉଁସିଲେ, କୋର୍ଟଙ୍କ ପରମିସନ୍ ନ ନେଇ ଗୋଟେ କିମ୍ବା ଟୁଲ୍ ମଗାଇ ବସି ସାକ୍ଷୀ ଦେବାକୁ ଚେଷ୍ଟା କଲେ, କୋର୍ଟରେ ସାକ୍ଷୀ ଦେଲା ବେଳେ ଅଯଥା ଅଟ୍ଟହାସ୍ୟ କଲେ ଅଯଥା କଥା ଗପିବାକୁ ତଦ୍ଦ୍ଵାରା କୋର୍ଟ ଅବମାନନା ହୁଏ ।
- ଆପଣଙ୍କ କେଶ୍ ଆପଣ ନିଜେ ଲଢି ପାରିବେ, ଏଥିପାଇଁ ମନା ନାହିଁ । ମାତ୍ର ଆପଣ ଯଦି ଓକିଲ ହୋଇନଥାନ୍ତି, ତେବେ ଆପଣ ଓକିଲମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନରେ ବସି ରହି କେଶ୍ ଲଢିବାକୁ ଦାବି କରିପାରିବେ ନାହିଁ । ଏଭଳି ଦାବି କରିବା କୋର୍ଟ ଅବମାନନା ଅଟେ । ଏ ସମ୍ପର୍କରେ କେରଳ ହାଇକୋର୍ଟଙ୍କ ରାୟ ଏହା ଜାଣିବା ଉଚିତ୍ ଯେ ଏହି କେଶ୍ ରେ ଜଣେ ଆଇ.ଏ.ଏସ୍. ଅଫିସର ତାଙ୍କ ନିଜ କେଶ୍ କୋର୍ଟରେ ଲଢିଥିଲେ । ସେ ଏଥିପାଇଁ ଓକିଲମାନଙ୍କ ପାଇଁ ଥିବା ନିର୍ଦ୍ଧିଷ୍ଟ ସିଟ୍ ରେ ବସିଥିଲେ । ତାଙ୍କୁ ସେହି ସିଟ୍ ଛାଡିବାକୁ ଓକିଲ ତଥା ଜଜ୍ କହିବାକୁ ସେ ପ୍ରତ୍ୟାଖ୍ୟାନ କଲେ । ତାଙ୍କର ପ୍ରତ୍ୟାଖ୍ୟାନ କରିବାର ଯୁକ୍ତି ହେଲା ଯେ, ସେ ଯେହେତୁ ତାଙ୍କ କେଶ୍ ନିଜେ ଲଢୁଛନ୍ତି, ତେଣୁ କେଶ୍ ଲଢୁଥିବା ବ୍ୟକ୍ତିଜଣଙ୍କ ସ୍ଥାନରେ ସମ୍ମତ ଭାବେ ବସି ପାରିବେ । ତାଙ୍କର ଏଭଳି ଯୁକ୍ତିକୁ ଅଗ୍ରାହ କରି କେରଳ ହାଇକୋର୍ଟ ଏହା କୋର୍ଟ ଅବମାନନା ବୋଲି ରାୟ ଦେଇଥିଲେ ।
- ଏଣୁ ମୋଟ ଉପରେ କୋର୍ଟଙ୍କ ସହିତ ଶିଷ୍ଟାଚାର ଓ ବ୍ୟବହାର ଆବଶ୍ୟକ । ବିଚାରପତିମାନଙ୍କୁ ରାସ୍ତାଘାଟ ବା ଦୋକାନ ବଜାରରେ ଅଥବା ସର୍ବସାଧାରଣ ଜାଗାରେ କିମ୍ବା ଭୋଜି ଆଦି ସ୍ଥାନରେ ଦେଖି ସେମାନଙ୍କ ସହିତ କେଶ୍ ଇତ୍ୟାଦି ବିଷୟରେ ଆଲୋଚନା କରିବା ଅନୁଚିତ୍ ।
- କୋର୍ଟଙ୍କ ସହିତ କଥାବାର୍ତ୍ତା କଲାବେଳେ ଯଦି ଛିଡା ହେବାର ସକ୍ଷମ ଅଛନ୍ତି, ତେବେ ଛିଡା ହୋଇ କଥା ହେବେ, ବସି କରି ନୁହେଁ । ବସି କରି କଥା ହେଲେ କୋର୍ଟ ଅବମାନନା ହେବ ।
ଆଇନ୍ ଗତ ସାହାଯ୍ୟ ପାଇବା ସମ୍ପର୍କରେ
ଆଇନ୍ ଗତ ସାହାଯ୍ୟ ପାଇବା ଆମ ସାମ୍ବିଧାନିକ ଅଧିକାର । ସରକାର ନିମ୍ନ ଅଫିସ୍ ମାଧ୍ୟମରେ ଅର୍ଥାଭାବରେ ଥିବା ବ୍ୟକ୍ତି ବିଶେଷଙ୍କୁ ଆଇନ୍ ସହାୟତ ଯୋଗାଇ ଦେବା ପାଇଁ ସଜାଗ ଅଛନ୍ତି । ଆପୋସ ଆଲୋଚନା ମାଧ୍ୟମରେ ମିଳାମିଶା ପାଇଁ ଉଦ୍ୟମ ଆମର ଲକ୍ଷ୍ୟ । କିନ୍ତୁ ତାହା ଯଦି ଫଳବତୀ ନ ହୁଏ, ତେବେ ଉଚିତ୍ ବ୍ୟକ୍ତି ବିଶେଷଙ୍କୁ ସହାୟତା ଦେବା ଆମର କର୍ତ୍ତବ୍ୟ ।
କେଉଁମାନେ ଆଇନ୍ ସହାୟତା ପାଇବା ପାଇଁ ଯୋଗ୍ୟ –
- ଅନୁସୂଚିତ ଜାତି ବା ଅନୁସୂଚିତ ଉପଜାତି
- ସମସ୍ତ ମହିଳା କିମ୍ବା ଶିଶୁ
- ଶିଳ୍ପ ଶ୍ରମିକ
- ପ୍ରାକୃତିକ ବିପର୍ଯ୍ୟୟ ବା ଦଙ୍ଗାଗ୍ରସ୍ତ ବ୍ୟକ୍ତି
- ବେଠି ଶ୍ରମିକ
- ହାଜତରେ ବିଚାର ଅପେକ୍ଷାରେ ଥିବା ବନ୍ଦୀ
- ଆମ ରାଜ୍ୟରେ ଯେକୌଣସି ନାଗରିକ ଯାହାଙ୍କର ସମସ୍ତ ଆଧାରକୁ ମିଳୁଥିବା ବାର୍ଷିକ ଆୟ ୨୫,୦୦୦ ଟଙ୍କାରୁ କମ୍ ।
- ଆମ ଦେଶର ଯେ କୌଣସି ନାଗରିକ ଯାହାଙ୍କର ସମସ୍ତ ଆଧାରରୁ ମିଳୁଥିବା ବାର୍ଷିକ ଆୟ ୫୦,୦୦୦ ଟଙ୍କାରୁ କମ୍, ସେମାନେ ସୁପ୍ରିମ କୋର୍ଟରେ ମାଗଣାରେ ଆଇନ୍ ସାହାଯ୍ୟ ପାଇପାରିବେ ।
କି ପ୍ରକାର ସାହାଯ୍ୟ ବା ସହାୟତା ମିଳେ –
- ମକଦ୍ଦମା ପରିଚାଳନା ପାଇଁ ସରକାରଙ୍କ ଖର୍ଚ୍ଚରେ ଓକିଲମାନଙ୍କୁ ନିଯୁକ୍ତି ଦିଆଯାଏ ।
- କୋର୍ଟ ଫିସ୍ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ସରକାର ବହନ କରନ୍ତି ।
- ଆପଣଙ୍କର କୌଣସି ବିଷୟରେ ସନ୍ଦେହ ଜାତ ହେଲେ ଆପଣ ଦରଖାସ୍ତ କଲେ ଆପଣଙ୍କୁ ମାଗଣାରେ ଓକିଲ ଯୋଗାଇ ଦିଆଯିବ ଓ ସେ ଆପଣଙ୍କୁ ଉଚିତ୍ ପରାମର୍ଶ ପ୍ରଦାନ କରିବେ ।
- ଆପଣଙ୍କର କୌଣସି ଅଧିକାର ପ୍ରତିହତ ହେଲେ ଆପଣ ସେ ସମ୍ପର୍କରେ ନିମ୍ନ ସ୍ଵାକ୍ଷରକାରୀଙ୍କୁ ଦରଖାସ୍ତ କଲେ ଆପଙ୍କୁ ବିନାମୂଲ୍ୟରେ ଉପଦେଶ ଦେବା ପାଇଁ ଓକିଲ ଯୋଗାଇ ଦିଆଯିବ । ଆପଣ ଅର୍ଥ ଅଭାବରୁ କୋର୍ଟ କଚେରୀରେ ନିଜର ନ୍ୟାୟ ଦାବି ବା ଅଧିକାର ସାବ୍ୟସ୍ତ କରିବା ପାଇଁ ଅକ୍ଷମ ହେଉଥିଲେ ଆଇନ୍ ଗତ ସାହାଯ୍ୟ ଓ ଉପଦେଶ ପାଇଁ ହାଇକୋର୍ଟଙ୍କ ଆଇନ୍ ସେବା ସମିତି, ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, ନିଜ ଜିଲ୍ଲା ଆଇନ୍ ସେବା ସମିତିରେ ନିର୍ଦ୍ଦିଷ୍ଟ ଫର୍ମରେ ନିଜର ସମସ୍ୟା ବର୍ଣ୍ଣନା କରି ଆବେଦନ କରନ୍ତୁ । ନିର୍ଦ୍ଧିଷ୍ଟ ଫର୍ମ ନ ପାଇଲେ ସାଦା ଚିଠିରେ ଆପଣଙ୍କ ସମସ୍ୟା ବର୍ଣ୍ଣନା କରି ପତ୍ର ଲେଖିଲେ ତାହା ମଧ୍ୟ ବିଚାରକୁ ନିଆଯିବ ।
ପ୍ର:ଥା: ଉପରୋକ୍ତ ସାହାଯ୍ୟ ମାନହାନି ମୋକଦ୍ଦମା, ନିର୍ବାଚନ ମକଦ୍ଦମା, ସାମାଜିକ ଅପରାଧ ଜନିତ ମକଦ୍ଦମା, ସାମାନ୍ୟ ଜୋରିମାନା ଭଳି ଅପରାଧ ଇତ୍ୟାଦି ପାଇଁ ଦିଆଯାଏ ନାହିଁ ।
ଆଧାର –ଓଡ଼ିଶା ଲ ରିଭିଉସ