অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜମିଜମା ଖର୍ଦ୍ଦି ସମ୍ପର୍କରେ

ଜମିଜମା

ଆଜିକାଲି ବିଭିନ୍ନ ଠକ ସଂସ୍ଥାମାନ ଗୋଟିଏ ଜମିକୁ ବାରମ୍ବାର ବିକ୍ରି କରି ଟଙ୍କା ଠକି ନେଉଛନ୍ତି । କ୍ରେତା ସତର୍କ ନ ରହିବାରୁ ଓ ଜମିଜମା ଆଇନ୍ ସମ୍ପର୍କରେ ସାଧାରଣ ଜ୍ଞାନ ନଥିବାରୁ ସର୍ବସ୍ଵାନ୍ତ ହେଉଛନ୍ତି । ଏଣୁ ଏଥିରୁ ରକ୍ଷା ପାଇବା ପାଇଁ ନିମ୍ନଲିଖିତ କେତୋଟି ଆଇନ୍ ବିଷୟରେ ସମ୍ୟକ ଜ୍ଞାନ ରହିବା ନିତ୍ୟାନ୍ତ ଦରକାର ।

ଜମି କିଣିବା

ଜମି କିଣିବା ସମୟରେ ବିକ୍ରେତା ତଫସିଲ୍ ଭୁକ୍ତ ଜାତି ବା ଉପଜାତି (S.C. &S.T.) ଲୋକ କି ନୁହେଁ ତାହା ଯାଞ୍ଚ କରିବା ଅତୀବ ଜରୁରୀ । ଯଦି ବିକ୍ରେତା S.C. &S.T. ହୋଇଥାନ୍ତି ଓ କ୍ରେତା ଅନ୍ୟ ଜାତିର ହୋଇଥାଆନ୍ତି ସ୍ଥାନୀୟ ରେଭେନ୍ୟୁ ଅଫିସରଙ୍କ ପୂର୍ବ ଅନୁମୋଦନ ଆବଶ୍ୟକ । ଏହା ନଥିଲେ କବଲାଟି ଅସିଦ୍ଧ ହୋଇଯିବ ।

ଖରିଦ କରୁଥିବା ଜମି

ପୁନଶ୍ଚ ଖରିଦ କରୁଥିବା ଜମି ଚକଭୁକ୍ତ କି ନୁହେଁ ତାହା ମଧ୍ୟ ଯାଞ୍ଚ କରିବା ଜରୁରୀ । ଚକ ଅନ୍ତର୍ଗତ ଜମିକୁ ସ୍ଥାନୀୟ କନ୍ସୋଲିଡ଼େସନ୍ ଅଫିସରଙ୍କ ପରମିସନ୍ ରେ ହିଁ କେବଳ କିଣି ହେବ ।

ଧାରା ୬-କ(୬-ଏ)

ଖରିଦ୍ ଜମି ଯଦି କୌଣସି ପ୍ରତିରକ୍ଷା ବିଭାଗ ଲୋକଙ୍କୁ ସରକାରୀ ସ୍ଥାୟୀ ଲିଜ୍ ଆକାରରେ ଦେଇଥାନ୍ତି ଓ ସେ ୧୦ ବର୍ଷ ଭିତରେ ଏହାକୁ ବିକ୍ରି କରୁଥାନ୍ତି, ତେବେ ମଧ୍ୟ ଧାରା ୬-କ(୬-ଏ) ଓ ଏଲ୍.ଆର୍.ନିୟମ ଅନୁଯାୟୀ ସ୍ଥାନୀୟ ରେଭେନ୍ୟୁ ଅଫିସରଙ୍କ ପୂର୍ବ ଅନୁମୋଦନର ଆବଶ୍ୟକତା ଅଛି ।

ଖରିଦ୍ ଜମି

ଖରିଦ୍ ଜମି ଆଗକୁ କାହାକୁ ବିକ୍ରି ବା ବନ୍ଧକୀ ରଖାଯାଇ ଅଛି କି ନାହିଁ ଜାଣିବା ପାଇଁ ଏନ୍କମ୍ବ୍ରାସ୍ ସାର୍ଟିଫିକେଟ୍ ନିଶ୍ଚିତ ରୂପେ ବାହାର କରିବା ଜରୁରୀ । ଏହାଦ୍ଵାରା ଜମିଟି ବନ୍ଧନମୁକ୍ତ କି ନୁହେଁ ସହଜରେ ଜଣା ପଡ଼ିଯିବ ।

ମକଦ୍ଦମାର ରାୟ

ଖରିଦ୍ ଜମି ସମ୍ପର୍କରେ ସ୍ଥାନୀୟ ସିଭିଲ୍ କୋର୍ଟରେ କୌଣସି ମକଦ୍ଦମା ଅଛି ବା ନାହିଁ ତାହା ମଧ୍ୟ ଜାଣିବା ଦରକାର । ଯଦି ଜମି ସମ୍ପର୍କରେ ପୂର୍ବ ମକଦ୍ଦମା ଥିବ, ତେବେ ମକଦ୍ଦମାର ରାୟ ଜମି କିଣୁଥିବା ଲୋକକୁ ମଧ୍ୟ ଲାଗିବ ଯଦିବା ସେ କେଶ୍ ରେ ପାର୍ଟି ନଥାଇ ପାରନ୍ତି ।

ଜମି ରେଜିଷ୍ଟ୍ରେସନ୍

ଜମି ରେଜିଷ୍ଟ୍ରେସନ୍ ସମୟରେ ଏହା ସେହି ରେଜିଷ୍ଟ୍ରାରଙ୍କ ଜୁରିଡିକସନ୍ ମଧ୍ୟରେ ଆସୁଛି ନା ନାହିଁ ତାହା ଅତି ଭଲ ଭାବେ ବୁଝିବାର ଅଛି । ଅନ୍ୟଥା ଭୁଲ୍ ଜାଗାରେ ରେଜିଷ୍ଟ୍ରେସନ୍ କରାଇଲେ କବଲାଟି ମୂଲ୍ୟହୀନ ହୋଇଥାଏ ।

ଷ୍ଟାମ୍ପ୍ ପେପରରେ

ରେଜିଷ୍ଟ୍ରେସନ୍ ସବୁବେଳେ ସଠିକ୍ ମୂଲ୍ୟର ଷ୍ଟାମ୍ପ୍ ପେପରରେ କରିବା ଜରୁରୀ । ଅନ୍ୟଥା ଅଳ୍ପ ପଇସା ବଞ୍ଚାଇବାକୁ ଯାଇ ସମ୍ପୂର୍ଣ୍ଣ କବଲାଟି ମୂଲ୍ୟହୀନ ହୋଇଯିବ ।

ମୌଖିକ ଚୁକ୍ତି

ବିକ୍ରି ହେଉଥିବା ଜମିକୁ ବିକ୍ରେତା ଅନ୍ୟ କାହାକୁ ବିକ୍ରି କରିବାକୁ ଲିଖିତ ବା ମୌଖିକ ଚୁକ୍ତି କରିନାହାନ୍ତି ବୋଲି ସ୍ପଷ୍ଟ ରୂପେ କବଲାରେ ଉଲ୍ଲେଖ ରହିବା ଆବଶ୍ୟକ ।

ବିକ୍ରି

ବିକ୍ରେତା ଯଦି ତାଙ୍କ ଜମିରୁ କିଛି ଅଂଶ ବିକ୍ରି କରୁଥାଆନ୍ତି ଓ କିଛି ଅଂଶ ନିଜ ପାଖରେ ରଖୁଥାଆନ୍ତି, ବିକ୍ରି କରୁଥିବା ଜମିର ବ୍ୟବହାର ଉପରେ ବିକ୍ରେତା କିଛି ଅଙ୍କୁଶ ଲଗାଇ ପାରନ୍ତି । ଯଥା ବିକ୍ରେତା କହିପାରନ୍ତି ଯେ ତାଙ୍କ ପାଖରେ ରହୁଥିବା ଜମିର ସଂଲଗ୍ନ ଅଂଶରୁ ପାଞ୍ଚ ଫୁଟ୍ ଭିତରେ କ୍ରେତା କିଛି ଘର ବା କାନ୍ଥ କରିପାରିବେ ନାହିଁ । ଏହା ଦ୍ଵାରା ବିକ୍ରେତା ପବନ ଓ ଆଲୋକ ମୁକ୍ତ ଭାବେ ପାଇପାରିବେ । ଏପରି ନାସ୍ତି ସୂଚକ ସର୍ତ୍ତ କ୍ରେତା ଓ କ୍ରେତାଙ୍କ ଠାରୁ ଖରିଦ୍ କରୁଥିବା ସବୁ କ୍ରେତାମାନେ ମଧ୍ୟ ମାନିବା ପାଇଁ ଆଇନ୍ ଅନୁଯାୟୀ ବାଧ୍ୟ ଅଟନ୍ତି ।

ମହିଳା ଓ ନିରକ୍ଷର

ବିକ୍ରେତା ମହିଳା ଓ ନିରକ୍ଷର ହୋଇଥିଲେ ଏହା ସେ ତାଙ୍କ ସ୍ୱଇଚ୍ଛାରେ ଓ ଆବଶ୍ୟକତା ପାଇଁ ବିକ୍ରି କରୁଛନ୍ତି ତଥା ସମ୍ପୂର୍ଣ୍ଣ କଥା ବୁଝି ସ୍ଥିର ଚିତ୍ତ ଓ ସୁସ୍ଥ ମସ୍ତିଷ୍କରେ ବିକ୍ରି କରୁଛନ୍ତି ଏପରି ଘୋଷଣା କବଲାରେ ରହିବା ଅତୀବ ଜରୁରୀ । ଏହା ସାକ୍ଷୀମାନଙ୍କ ଉପସ୍ଥିତିରେ କରାଇବା ବାଞ୍ଛନୀୟ ।

ମୂଳ ବିକ୍ରି

ମୂଳ ବିକ୍ରି କବଲା ଓ ମୂଳ ପଟ୍ଟାକୁ ବନ୍ଧକ ଦେଇ ସେଥିରେ ଥିବା ଜମିକୁ ବନ୍ଧା ପକାଇ ଟଙ୍କା ଋଣ କରିହୁଏ । ଏଥିପାଇଁ କୌଣସି ଲେଖାପଢା ବା ରେଜିଷ୍ଟ୍ରି ଦଲିଲ୍ ଜରୁରୀ ନୁହେଁ । ଏଣୁ ଆପଣ କାହାଠାରୁ ଜମି ଖର୍ଦ୍ଦି କଲାବେଳେ ତାଙ୍କ ମୂଳ କବଲା ଓ ମୂଳ ପଟ୍ଟା ଯାଞ୍ଚ କରି ଦେଖନ୍ତୁ । ସହିମୋହର ନକଲ ଉପରେ ନିର୍ଭର କରି କିଣିଲେ ହଇରାଣରେ ପଡ଼ିପାରନ୍ତି । ଯଦି ବିକ୍ରେତାଙ୍କ ଦଲିଲ୍ ର ସମସ୍ତ ଜମି ଆପଣ ଖର୍ଦ୍ଦି କରୁଛନ୍ତି – ତେବେ ତାଙ୍କ ଠାରୁ ତାଙ୍କ ମୂଳ ଦଲିଲ୍ ଟି ନେଇ ଆସନ୍ତୁ ।

ପାୱାର ଅଫ୍ ଆଟର୍ଣ୍ଣି

ପାୱାର ଅଫ୍ ଆଟର୍ଣ୍ଣି ବଳରେ ଜମି ବିକ୍ରି ବଟା ହେଉଥିଲେ ସେହି ପାୱାର ଆଟର୍ଣ୍ଣି ଠିକ୍ ଅଛି କି ନାହିଁ ତାହା ରଦ୍ଦ ହୋଇଛି କି ନାହିଁ, ପ୍ରତ୍ୟାହାର ହୋଇଛି କି ନାହିଁ ପ୍ରଥମେ ସଠିକ୍ ଯାଞ୍ଚ କରିବେ । ନଚେତ୍ ହଇରାଣରେ ପଡ଼ିପାରନ୍ତି ।

ଆଧାର - ଓଡିଶା ଆଇନ ସମୀକ୍ଷା

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate