অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏସିଆର ପ୍ରଥମ ମହିଳା ବସ୍ ଡ୍ରାଇଭର୍

ଏମ୍ ବସନ୍ତ କୁମାରୀ ସଂଘର୍ଷ କାହାଣୀ

ଭାରତୀୟ ସମାଜରେ ନାରୀମାନଙ୍କୁ ପୁରୁଷମାନଙ୍କଠାରୁ ଦୁର୍ବଳ ମନେ କରାଯାଏ । ସାଧାରଣ ଭାବନା ରହିଛି ଯେ ପୁରୁଷମାନେ  ଯେଉଁ କଠିନ ପରିଶ୍ରମ ଓ କାମ କରିପାରିବେ ତାହା ନାରୀମାନେ କରିପାରିବେ ନାହିଁ । ଏହି ଧାରଣାକୁ ଅନେକ ସମୟରେ ଦେଶର କିଛି ତୁଙ୍ଗ ନାରୀ ଭୁଲ ପ୍ରମାଣିତ କରିପାରିଛନ୍ତି । ସେଭଳି ଜଣେ ମହିଳା ହେଉଛନ୍ତି ଏମ୍ ବସନ୍ତ କୁମାରୀ । ସେ ହେଉଛନ୍ତି ସମଗ୍ର ଏସିଆ ମହାଦେଶର ପ୍ରଥମ ମହିଳା ବସ୍ ଡ୍ରଇଭର୍ ।

ବସନ୍ତ କୁମାରୀଙ୍କୁ ଯେତେବେଳେ ୧୪ ବର୍ଷ ବୟସ ହୋଇଥିଲା ସେ ଷ୍ଟିୟରିଂରେ ହାତ ଦେଇଥିଲେ । ତାହା ତାଙ୍କ ପାଇଁ କୌଣସି ରୋମାଂଚଠାରୁ କମ ନ ଥିଲା । ଏହାର ୧୦ ବର୍ଷ ପରେ ସେ ନିଷ୍ପତି ନେଇଥିଲେ ଯେ ଡ୍ରାଇଭର୍ ହେବେ । ବସ୍ ଚଲାଇବେ । ସେହିଦିନଠାରୁ ଆଉ ପଛକୁ ଫେରି ନାହାନ୍ତି ସେ । ନିଜ ପରିବାରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ସେ ଏଭଳି ନିଷ୍ପତି ନେଇଥିଲେ ।

ରେନଡ୍ରପ୍ସ ଆଚିଭର୍ ପୁରସ୍କାର

ସେ କହିଛନ୍ତି ଯେ ତାଙ୍କ ପାଖରେ ଶିକ୍ଷାକୁ ନେଇ ସେଭଳି କୌଣସି ଡିଗ୍ରି ନ ଥିଲା । ତେଣୁ ଚାକିରି ଖୋଜି ପାଇବା ଏତେ ସହଜ ନ ଥିଲା । କିନ୍ତୁ ତାଙ୍କ ମନରେ ଡ୍ରାଇଭିଂ ପ୍ରତି ପ୍ରବଳ ଦୁର୍ବଳତା ଥିଲା । ନିକଟରେ ତାଙ୍କୁ ଚେନ୍ନାଇଠାରେ ରେନଡ୍ରପ୍ସ ଆଚିଭର୍ ପୁରସ୍କାର ପ୍ରଦାନ କରାଯାଇଥିଲା । କନ୍ୟାକୁମାରୀରେ ତାଙ୍କର ଜନ୍ମ ହୋଇଥିଲା । ପିଲାଟି ଦିନରୁ ସେ ମା’କୁ ହରାଇଥିଲେ । ଜଣେ ମା ଛେଉଣ୍ଡ ଛୁଆ ସମାଜରେ ବଂଚିବା କେତେ କଷ୍ଟକର ତାହା କାହାକୁ ଅଛପା ନାହିଁ । ମାଙ୍କ ଦେହାନ୍ତ ହେବା ପରେ ତାଙ୍କ ବାପା ଦ୍ୱିତୀୟ ବିବାହ କଲେ । ସେ ମାଉସି ଘରକୁ ଚାଲି ଆସିଥିଲେ । ମାଉସି ତାଙ୍କୁ ପାଳିଥିଲେ । ତାଙ୍କୁ ଯେତେବେଳେ ୧୯ ବର୍ଷ ହୋଇଥିଲା ବିବାହ କରିଦିଆଗଲା । ପିଲାଦିନକୁ ଭଲ ଭାବେ ଉପଯୋଗ କରିପାରି ନ ଥିଲା ବସନ୍ତ କୁମାରୀଙ୍କର ଏଭଳି ଜଣେ ବ୍ୟକ୍ତି ସହିତ ବାହାଘର କରିଦିଆଗଲା ଯାହାର ପୂର୍ବରୁ ଚାରିଟି ଝିଅ ଥିଲେ । ଏହା ପରେ ବସନ୍ତଙ୍କର ଦୁଇଟି ଝିଅ ଜନ୍ମ ହେଲେ । ପରିବାର ପ୍ରତିପୋଷଣ କରିବା ଆଉ ସହଜ ହେଲା ନାହିଁ ।

ନିର୍ମାଣ ଶ୍ରମିକ ରୁ ଡ୍ରାଇଭର

ଏବେ ବସନ୍ତ କୁମାରୀଙ୍କ ବୟସ ହେଉଛି ୫୭ ବର୍ଷ । ବସନ୍ତ କୁମାରୀ କହିଛନ୍ତି ଯେ, ତାଙ୍କ ପତି ଏକ ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ । ସେ ଯେତିକି ରୋଜଗାର କରୁଥିଲେ ତାହା ପରିବାର ପ୍ରତିପୋଷଣ ପାଇଁ ପର୍ଯ୍ୟାପ୍ତ ନ ଥିଲା । ସେହି ସମୟରେ ସରକାରୀ ଚାକିରିରେ ୩୦% ସଂରକ୍ଷଣ କଥା ଚର୍ଚା ହୋଇଥିଲା । ବସନ୍ତ କୁମାରୀ ଡ୍ରାଇଭିଂ ତାଲିମ ନେବା ସହ ଭାରି ଯାନ ଚଳାଇବାର ଲାଇସେନ୍ସ ହାସଲ କରିଥିଲେ । ତାଙ୍କୁ ଅନେକ ଲୋକ ଡ୍ରାଇଭର ପଦ ନିମନ୍ତେ ଆବେଦନ କରିବାକୁ କହିଥିଲେ ।

ତାଙ୍କ ପାଇଁ ସଂଘର୍ଷ ଶେଷ ହୋଇନଥିଲା । ଚାକିରି ପାଇଁ ଆବେଦନ କରିବା ପରେ ଯେତେବେଳେ ତାଙ୍କର ସାକ୍ଷାତକାର ହେଲା ଅଧିକାରୀମାନେ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ତୁମେ କଣ ପୁରୁଷମାନଙ୍କ ସହ କାମ କରିପାରିବ? ବିଶ୍ୱରେ ମହିଳା ବସ୍ ଚଳାଇବା ଅତ୍ୟନ୍ତ ବିରଳ ଘଟଣା । ତୁମେ କଣ ଏହି କାମ ସୁଚାରୁରୂପେ କରିପାରିବ?

ଅନେକ ଥର ନିରାଶ ହେବା ପରେ ସେ ଶେଷରେ ୧୯୯୩ ରେ ଚାକିରି ପାଇଗଲେ । ତାଙ୍କୁ ତାମିଲନାଡୁ ରାଜ୍ୟ ଟ୍ରାନ୍ସପୋର୍ଟ କର୍ପୋରେସନ୍ ରେ ଡ୍ରାଇଭର୍ ଭାବେ ଚାକିରି ମିଳିଗଲା । ରାସ୍ତାରେ ବସ୍ ଚଳାଇବା ବେଳେ ପୁଲିସ କର୍ମୀ, ନିଜର ପୁରୁଷ ସହକର୍ମୀ ଓ ପୁରୁଷ ସହଯୋଗୀଙ୍କ ଯୋଗୁଁ ତାଙ୍କ ଜୀବନ ଯଦିଓ ସହଜ ଥିଲା କିନ୍ତୁ ସମ୍ପୂର୍ଣ୍ଣ ରୂପେ ନୁହେଁ ବୋଲି ସେ କହନ୍ତି ।

ଅନ୍ୟ ପାଇଁ ଉଦାହରଣ

ସେ କହିଛନ୍ତି ଯେ, ପୁରୁଷମାନଙ୍କୁ ସାଧାରଣତଃ ସବୁ ରୁଟ୍ ରେ ବସ ଚଳାଇବାକୁ ଅନୁମତି ଦିଆଯାଏ । କିନ୍ତୁ ତାଙ୍କ ପାଇଁ କେତେକ ନିର୍ଦ୍ଧିଷ୍ଟ ରୁଟ୍ ହିଁ ଚୟନ କରାଯାଇଥିଲା । ତାମିଲନାଡୁ ଷ୍ଟେଟ୍ ଟ୍ରାନ୍ସପୋର୍ଟ ପାଇଁ ସେ ଏବେ ଆଉ ଏକମାତ୍ର ମହିଳା ହୋଇ ରହିନାହାନ୍ତି । ଅଫିସ୍ ରେ ଅନେକ ମହିଳା ଏବେ କାମ କରୁଛନ୍ତି ।

୨୦୧୭ରେ ବସନ୍ତ କୁମାର ଡ୍ରାଇଭର ଚାକିରିରୁ ଅବସର ଗ୍ରହଣ କରିବେ । କିନ୍ତୁ ଏହା ପରେ ମଧ୍ୟ ସେ ଡ୍ରାଇଭିଂ ଛାଡ଼ିବାକୁ ଚାହୁଁ ନାହାନ୍ତି । ସେ ମହିଳାମାନଙ୍କ ନିମନ୍ତେ ଏକ ଡ୍ରାଇଭିଂ ତାଲିମ କେନ୍ଦ୍ର ଖୋଲିବାକୁ ଚାହୁଁଛନ୍ତି ।

ଆଧାର - PK writer

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate