অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମହମ୍ମଦ ୟୁନୁସ ଓ ଗ୍ରାମୀଣ ବ୍ୟାଙ୍କର କାହାଣୀ

ମହମ୍ମଦ ୟୁନୁସ୍ କାହାଣୀ

ଦାରିଦ୍ର୍ୟକୁ ବୁଝିବାକୁ ୟୁନୁସଙ୍କୁ ଅର୍ଥନୀତି ପଢିବାକୁ ପଡିନଥିଲା। ଏକ ଗରିବ ଦେଶର ଗରିବ ଗାଁରେ ଏକ ଗରିବ ପରିବାରରେ  ଜନ୍ମ ହୋଇଥିଲେ ସେ। ଦାରିଦ୍ର୍ୟ ମଧ୍ୟରେ ବଢିଥିବା ମେଧାବୀ ଛାତ୍ର ୟୁନୁସ ନାନା ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜର ଶିକ୍ଷାକୁ ଅବ୍ୟାହତ ରଖିପାରିଥିଲେ ଓ ଶିକ୍ଷା ବୃତ୍ତି ପାଇ ଆମେରିକାର ୱାଣ୍ଡରବିଲ୍ଡ ବିଶ୍ଵବିଦ୍ୟାଳୟରୁ ଡକ୍ଟରେଟ ପାଇବାରେ ସଫଳ ହୋଇଥିଲେ ଓ ମିଡଲଟେନେସି ଷ୍ଟେଟ ୟୁନିଭର୍ସିଟିରେ ସହକାରୀ ପ୍ରଫେସର ଭାବେ ନିଯୁକ୍ତି ପାଇଥିଲେ। ଚାହିଁଥିଲେ ସେ ଆମେରିକାରେ ଏକ ସଫଳ ଓ ଆରାମଦାୟକ ଜୀବନ ବିତାଇପାରିଥାନ୍ତେ। କିନ୍ତୁ ପାକିସ୍ଥାନଠାରୁ ଅଲଗା ହୋଇ ଦାରିଦ୍ର୍ୟରେ ସଢୁଥିବା ନୂଆ ଦେଶ ବାଂଲାଦେଶ ଲାଗି ସେ ନିଜର କର୍ତ୍ତବ୍ୟ ସ୍ଥିର କରିସାରିଥିଲେ। ଯୁଦ୍ଧବିଧ୍ଵସ୍ତ ନିଜ ମାତୃଭୂମି ବାଂଲାଦେଶରେ ବ୍ୟାପକ ପୁନଃନିର୍ମାଣର ଆବଶ୍ୟକତା ଥିଲା। ଅନ୍ୟତମ ଅର୍ଥନୀତିଜ୍ଞ ତଥା ବାଂଲାଦେଶ ଯୋଜନା ବୋର୍ଡରଅଧ୍ୟକ୍ଷ ନୁରୁଲ ଇସଲାମଙ୍କ ଅନୁରୋଧ କ୍ରମେ ୟୁନୁସ ମାତୃଭୂମିର ସେବା ପାଇଁ ଫେରିଆସିଲେ, କିନ୍ତୁ ସ୍ଵଦେଶକୁ ଫେରିବାଟା ତାଙ୍କ ପାଇଁ ସୁଗମ ହୋଇନଥିଲା। ସରକାରୀ ଚାକିରି ତାଙ୍କୁ ସେତେଟା ଭଲ ଲାଗୁ ନଥିଲା। ଚାକିରି ଛାଡି ପୁଣି ସେ ଅଧ୍ୟାପନାକୁ ଫେରିଗଲେ, ଏଥର ଚିତ୍ତଗଙ୍ଗ ବିଶ୍ଵବିଦ୍ୟାଳୟରେ..।

ଏହାର କିଛିଦିନ ପରେ 1974ରେ ବାଂଲାଦେଶରେ ଏକ ଭୟଙ୍କର ଦୂର୍ଭିକ୍ଷ ପଡିଥିଲା। ଦେଶର ପରିସ୍ଥିତି କ୍ରମଶଃ ଖରାପ ଆଡକୁ ଗତି କରୁଥିବା ଦେଖି ୟୁନୁସ୍ ନିଜ ଅନ୍ତରାତ୍ମାର ଡାକ ଶୁଣିପାରିଲେ- କିଛି କରିବାକୁ ହେବ..। ତେବେ ସେ ଜଣେ ଧନଶାଳୀ ବ୍ୟକ୍ତି ନଥିଲେ ଯେ ଅର୍ଥ ମାଧ୍ୟମରେ କିଛି ସମସ୍ୟାର ସମାଧାନ କରିପାରିବେ। ସେ ଥିଲେ ଜଣେ ଅର୍ଥନୀତିଜ୍ଞ ଓ ଦାରିଦ୍ର୍ୟ ପରି ଅର୍ଥନୈତିକ ସମସ୍ୟାଗୁଡିକର ସମାଧାନ ଲାଗି ପ୍ରଥମେ କୌଣସି ଏକ ସୂତ୍ର ବାହାରକରିବାର ଆବଶ୍ୟକତା ଥିଲା।

ଗରିବଲୋକଙ୍କୁ ଋଣ ପ୍ରଦାନ

ତାଙ୍କ ମତରେ ଗରିବ ଲୋକେ ପୁଞ୍ଜି ସଂଗ୍ରହ କରିପାରନ୍ତି ନାହିଁ, କାରଣ ଶହ ଶହ ବର୍ଷ ଧରି ବ୍ୟାଙ୍କମାନଙ୍କୁ ଶିଖାଇ ଦିଆଯାଇଛି ଯେ କେତେକ ନିର୍ଦ୍ଧିଷ୍ଟ ଯୋଗ୍ୟତା ରଖୁଥିବା ଲୋକମାନଙ୍କୁ ହିଁ ଋଣ ଦିଆଯାଇପାରିବ। ସାଧାରଣତଃ ଯେଉଁମାନଙ୍କ ପାଖରେ ପୂର୍ବରୁ ହିଁ ଅର୍ଥ ବା ପୁଞ୍ଜି ଥାଏ, ଯେଉଁମାନେ କିଛି ବନ୍ଧକ ରଖିପାରିବେ ଓ ଠିକ ସମୟରେ ଋଣ ପରିଶୋଧ କରିପାରିବେ ସେମାନଙ୍କୁ ହିଁ ବ୍ୟାଙ୍କ ଋଣ ଦିଏ। କାରଣ ଏକ ଋଣପ୍ରଦାନକାରୀ ସବୁବେଳେ ସୁରକ୍ଷାକୁ ପ୍ରାଧାନ୍ୟ ଦିଏ ଓ ସେମାନେ କାଗଜପତ୍ର ଓ ଆଇନର ବ୍ୟବସ୍ଥା ମାଧ୍ୟମରେ ନିଜକୁ ସୁରକ୍ଷିତ ରଖିଥାନ୍ତି। ପୁଣି ସେମାନେ ଛୋଟଛୋଟ ପରିମାଣର ଋଣ ଅପେକ୍ଷା ବଡ଼ ପରିମାଣର ଋଣ ଦେବାକୁ ପସନ୍ଦ କରନ୍ତି। ଏହାର କାରଣ ହେଉଛି ଆପଣ ପାଞ୍ଚଶହ ଟଙ୍କାର ଋଣଦିଅନ୍ତୁ ବା କୋଟିଏଟଙ୍କାର, ସେଥିପାଇଁ କରାଯିବାକୁ ଥିବା କାଗଜପତ୍ର ଓ ଋଣଆଦାୟ ଜନିତ ଖର୍ଚ୍ଚ ପ୍ରାୟତଃ ସମାନ ରହିଥାଏ। ଏଣୁ ମୂଳକଥା ହେଉଛି ବଡ଼ ବ୍ୟାଙ୍କମାନେ ବଡ଼ ଋଣଗ୍ରହୀତାଙ୍କୁ ପସନ୍ଦ କରନ୍ତି।

ଗରିବଲୋକେ ସାଧାରଣତଃ ଗୋଟିଏ ସମୟରେ ଅଳ୍ପ ପରିମାଣର ଅର୍ଥ ଆବଶ୍ୟକ କରନ୍ତି। ଏହି ଅର୍ଥରେ (ମନେକରାଯାଉ) ସେମାନେ ଶଗଡ଼େ ପନିପରିବା କିଣି ଆସନ୍ତା ଦୁଇଦିନ ପାଇଁ ବିକ୍ରି କରିପାରିବେ। ଗରିବ ହୋଇଥିବାରୁ ସେମାନେ ଋଣ ପାଇଁ କିଛି ବନ୍ଧକ ରଖିପାରିବେ ନାହିଁ ବା ନିରକ୍ଷର ହୋଇଥିବାରୁ ଏଥିପାଇଁ କରାଯାଉଥିବା କାଗଜପତ୍ର କାମ ସେମାନଙ୍କର ବୁଝିବାଶକ୍ତିର ବାହାରେ। କିନ୍ତୁ ଗରିବ-ନିରକ୍ଷର ହେଲେ ମଧ୍ୟ ସେମାନଙ୍କର ଉଦ୍ଧେଶ୍ୟ କିନ୍ତୁ ସଚ୍ଚା। ଯଦି ଜଣେ ତାଙ୍କୁ କିଛି ଅଳ୍ପ ପରିମାଣର ଅର୍ଥ ଋଣ ଆକାରରେ ଦେଲା ସେମାନେ ତାହାକୁ କାମରେ ଲଗାଇଦିଅନ୍ତି,କିଛି ଅଧିକ ଆୟ କରନ୍ତି ଓ ସୁଧସହିତ ମୂଳକୁ ପରିଶୋଧ କରିଦିଅନ୍ତି ଯଦ୍ଵାରା ସେମାନେ ଆବଶ୍ୟକ ପଡିଲେ ଆଉ ଥରେ ନୂଆ ଋଣ ନେଇପାରିବେ।

କିନ୍ତୁ ଏପରି ଲୋକଙ୍କ ସହିତ କାରବାର କରିବାକୁ ବ୍ୟାଙ୍କମାନେ ତାଲିମ ପାଇନଥାନ୍ତି। ନିଜ ଗବେଷଣାର ପ୍ରାରମ୍ଭରେ ୟୁନୁସ୍ ଆଉ ଏକ କୌତୂହଳପ୍ରଦ ବିଷୟ ଆବିଷ୍କାର କଲେ,ଯାହାକି ପରେ ମାଇକ୍ରୋ-କ୍ରେଡିଟ୍ (ଲଘୁ ଋଣ) ଭାବରେ ପରିଚିତ ହେଲା। ଗ୍ରାମୀଣ ବ୍ୟାଙ୍କ ବାଂଲାଦେଶର ଘରେ ଘରେ ପରିଚିତ ହେବାର ପୂର୍ବରୁ ହିଁ ଏହା ହୋଇଥିଲା। ସେ ଲକ୍ଷ୍ୟ କରିଥିଲେ ଯେ, ମହିଳାମାନେ ହିଁ ଅଧିକ ନିଷ୍ଠାର ସହ ଋଣ ଅର୍ଥକୁ ଉତ୍ପାଦନକ୍ଷମ କାମରେ ଲଗାଇଥାନ୍ତି। ଯେତେବେଳେ ସମାନ ପରିମାଣର ଅର୍ଥ ଗୋଟିଏ ମହିଳା ଓ ଗୋଟିଏ ପୁରୁଷକୁ ଦିଆଯାଏ, ମହିଳାଟି ହିଁ ଅପେକ୍ଷାକୃତ ଅଧିକ ଯତ୍ନଶୀଳ ହୋଇ ସେହି ଅର୍ଥକୁ ଏକ ଉତ୍ପାଦନଶୀଳ କାମରେ ଲଗାଇ କିଛି ଆୟ କରେ ଓ ଋଣ ପରିଶୋଧ କରେ। ଗାଁରେ ପୁରଷମାନଙ୍କ ତୁଳନାରେ ମହିଳାମାନେ ନିଜ ପରିବାର ପ୍ରତି ଅଧିକ ଦାୟିତ୍ଵବାନ ରହିଥାନ୍ତି। ପୁରୁଷମାନେ ସେତେଟା ଦାୟିତ୍ଵବାନ ନୁହନ୍ତି। ସେମାନେ ଋଣ ଅର୍ଥକୁ ବୃଥାରେ ଉଡାଇଦିଅନ୍ତି ଓ ପୁଣି ସେହି ଦାରିଦ୍ର୍ୟର ଦାରୁଣ ଚକ୍ର ମଧ୍ୟକୁ ଫେରିଆସନ୍ତି। ଏଣୁ ୟୁନୁସ ନିଜର ସାମାନ୍ୟ ବ୍ୟକ୍ତିଗତ ସଞ୍ଚୟର କିଛି ଅଂଶ ଆଣି ତାହାକୁ ଛୋଟ ଛୋଟ ଅଂଶରେ ବିଭକ୍ତ କରି ଗୋଟିଏ ମହିଳାଗ୍ରୁପକୁ ଋଣ ଆକାରରେ ପ୍ରଦାନକଲେ। ଏହି ଠାରୁ ହିଁ ଆରମ୍ଭ ହୁଏ ମାଇକ୍ରୋ-କ୍ରେଡିଟର ଚମତ୍କାର।

ମହିଳାମାନେ ସହାୟକ ଗୋଷ୍ଠୀ ଗଠନ

ମହିଳାମାନେ ଏକ ସହାୟକ ଗୋଷ୍ଠୀ ଗଠନ କଲେ ଓ ଉକ୍ତ ଅର୍ଥକୁ କେତେକ ଉତ୍ପାଦନଶୀଳ କାମରେ ଲଗାଇଲେ। ସେମାନେ ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରି କରି କିଛି ଆୟ କଲେ ଅଥବା କିଛି କୁକୁଡା,ଗାଈ ବା ଛେଳି କିଣି ତାହାକୁ ଏକ ନିୟମିତ ଆୟକାରୀ କାମରେ ଲଗାଇପାରିଲ। ସେମାନେ ମଧ୍ୟ ନିଜ ଗ୍ରୁପରେ ନୂଆ ନୂଆ ମହିଳାଙ୍କୁ ମିଶାଇଲେ ଓ ଏହି ନୂଆ ଋଣ ଆଶାୟୀଙ୍କ ପାଇଁ ବ୍ୟକ୍ତିଗତ ଗ୍ୟାରେଣ୍ଟି ପ୍ରଦାନ କଲେ। ସୁଧବାବଦରେ ଆୟ ହୋଇଥିବା ଅର୍ଥକୁ ଏସବୁ ନୂଆ ଋଣକର୍ତାମାନଙ୍କୁ ଦିଆଗଲା। ଏହିପରି ଭାବରେ ଅର୍ଥର ପରିମାଣ ବଢିଚାଲିଲା ତା ସହ ଋଣକର୍ତ୍ତାମାନଙ୍କ ସଂଖ୍ୟା ମଧ୍ୟ ବଢିଲା। ସେମାନେ ସମସ୍ତେ ଋଣ ନେଇ ହଜାର ହଜାର କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିଦେଲେ ଓ ଏଥିରୁ ଜନ୍ମ ନେଲା ଗ୍ରାମୀଣ ବ୍ୟାଙ୍କ।

ଏବେ ମଧ୍ୟ ବାଂଲାଦେଶ ବିଶ୍ଵର ଏକ ଜନବହୁଳ ମାତ୍ର ଅତି ଗରିବ ଦେଶମାନଙ୍କ ମଧ୍ୟରେ ଗଣାହେଉଛି। ଗରିବ ହେବାସହ କେବଳ ଯେ ଅର୍ଥନୀତି ବା ରାଜନୀତିର ସମ୍ପର୍କ ରହିଛି ତା ନୁହେଁ,ତାହା ଧର୍ମ ସହ ମଧ୍ୟ ଯୋଡିହୋଇଛି। ବାଂଲାଦେଶ ଏକ ଇସଲାମୀୟ ଦେଶହୋଇଥିବାରୁ ଏଠାରେ ମହିଳାମାନଙ୍କୁ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିଥିଲା। ଇସଲାମଧର୍ମରେ ଋଣ ଦିଆନିଆ ନିଷିଦ୍ଧ ହୋଇଥିବାରୁ,ଏହି ମହିଳାମାନେ ମୌଳବାଦୀ ଧର୍ମଗୁରୁମାନଙ୍କ ବିଷଦୃଷ୍ଟିରେ ପଡିଲେ। କିନ୍ତୁ ୟୁନୁସ ନିଜ ଉଦ୍ୟମରେ ଅଟଳ ରହିଲେ ଓ ତାଙ୍କର 2007 ସୁଦ୍ଧା ଗ୍ରାମୀଣ ବ୍ୟାଙ୍କ ପ୍ରାୟ 74 ଲକ୍ଷ କ୍ଷୁଦ୍ର ଋଣକାରୀଙ୍କୁ ମୋଟ 6.38 ବିଲିୟନ (638 କୋଟି) ଡଲାରର ଋଣ ପ୍ରଦାନକରିସାରିଥିଲା। ସେ ଓ ତାଙ୍କର ସହଯୋଗୀମାନେ ଗ୍ରାମୀଣ ବ୍ୟାଙ୍କକୁ ଦାରିଦ୍ର୍ୟ ଦୂରୀକରଣର ଏକ ବିଶ୍ଵ ବିଖ୍ୟାତ ମଡେଲରେ ପରିଣତ କରିପାରିଲେ। 2006ରେ ୟୁନୁସ ଓ ଗ୍ରାମୀଣ ବ୍ୟାଙ୍କକୁ ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାର ଦିଆଯାଇଥିଲା ଏବଂ ଏହା ଥିଲା ଗରିବଙ୍କ ସହ ସମ୍ମାନର ସହ କାମ କରି ଗରିବିକୁ ଲୋପ କରୁଥିବା ଏହି ମଡେଲକୁ ବିଶ୍ଵ ସମୁଦାୟର ସ୍ଵୀକୃତି।

 

ଆଧାର : ୟୁଅର ଷ୍ଟୋରି



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate